ଏକବିଂଶ ଶତାବ୍ଦୀ-ଭାଷାର ବିକାଶ: ଓଡ଼ିଆ

Written by: Jagruti Mohanty

ଭାଷାବିତମାନଙ୍କ ମତରେ ଭାଷା ପରିବର୍ତ୍ତନଶୀଳ। ଏହା ସୃଷ୍ଟି ହୁଏ, ମିଶ୍ରିତ ହୁଏ, ବିକଶିତ ହୁଏ, ଏହା ନଷ୍ଟ ମଧ୍ୟ ହୁଏ। ଯଦି ଆମେ କୌଣସି ଭାଷାର ବିକାଶର ଇତିହାସକୁ ଦେଖିବା ତେବେ ଜାଣିବା ଯେ ବିକାଶ ବହୁମୁଖୀ ଭାବେ ହୋଇଥାଏ। ଓଡ଼ିଆ, ଭାରତର ସମ୍ବିଧାନର ଅଷ୍ଟମ ସୂଚୀରେ ତାଲିକାଭୁକ୍ତ ତଥା ଓଡିଶାର ସରକାରୀ ଭାଷା ଭାବେ ପରିଚିତ, ଏହି ଭାଷା ଭାରତୀୟ-ଆର୍ଯ୍ୟ ଭାଷା ପରିବାରର ଅଟେ, ଏହା ବିବିଧ ଭାବେ ବହୁମୁଖୀ ଧାରାରେ ବିକଶିତ ହୋଇଛି । ବିଶାଳ ଓଡ଼ିଆ ଶବ୍ଦକୋଷ ପ୍ରମାଣ କରେ ଯେ ଏଥିରେ ସଂସ୍କୃତରୁ ବେଶି ଏବଂ ପାର୍ସୀ-ଆରବୀୟ, ଇଂରାଜୀ ଏବଂ ଅଷ୍ଟ୍ରୋଏସିଆଟିକ୍ ଏବଂ ଦ୍ରାବିଡ଼ ଭାଷାରୁ କେତେ ଅବଦାନ ରହିଛି। ଭାଷା ଭାବରେ ଓଡ଼ିଆ ପ୍ରଥମ ସରକାରୀ ମାନ୍ୟତା ପାଇଲା 1 ଏପ୍ରିଲ 1936ରେ, ଯେତେବେଳେ ଭାଷା ବିଭାଜନ ଉପରେ ଆଧାର କରି ଓଡିଶା ରାଜ୍ୟ ଗଠିତ ହେଲା। ତେଣୁ ବିଂଶ ଶତାବ୍ଦୀ ଏକ ଭାଷା ଭାବରେ ଓଡ଼ିଆର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ଏକବିଂଶ ଶତାବ୍ଦୀ ଓଡ଼ିଆଙ୍କ ପାଇଁ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିଲା ଯେହେତୁ ‘Orissa’ରୁ ‘Odisha’ ଏବଂ ‘Oriya’ରୁ ‘Odia’ ହୋଇଥିଲା। ଆହୁରି, ଓଡିଶା ସରକାରୀ ଭାଷା ଅଧିନିୟମ, 1954 ସମସ୍ତ ଉଦ୍ଦେଶ୍ୟରେ ସରକାରୀ ଭାଷା ଭାବରେ ବ୍ୟବହାର କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଗଲା।

ଓଡ଼ିଆ ଶବ୍ଦକୋଷ ଦିନକୁ ଦିନ ବଡ଼ ହେବାରେ ଲାଗିଛି ଏବଂ ଏଥିପାଇଁ ଦୁଇଟି କାରଣ ମୁଖ୍ୟତଃ ଦାୟୀ। ଗୋଟିଏ ହେଉଛି ବିଶ୍ୱବ୍ୟାପୀ ବୈଷୟିକ ବିକାଶ ଏବଂ ଅନ୍ୟଟି ହେଲା ଅନ୍ୟ ଭାଷା ଜଗତର ସଂସ୍ପର୍ଶରେ ଆସିବା। ଓଡିଶାର ଯେକୌଣସି ସ୍ଥାନକୁ ଯାଆନ୍ତୁ, ସହରାଞ୍ଚଳରୁ ଗ୍ରାମାଞ୍ଚଳ, ଦୁର୍ଗମ ଅଞ୍ଚଳ ପର୍ଯ୍ୟନ୍ତ, ଆପଣ ମୋବାଇଲ୍ ବ୍ୟବହାର କରୁଥିବା, ୟୁଟ୍ୟୁବ୍ ଦେଖୁଥିବା ଓଡ଼ିଆ ଭାଷୀଙ୍କୁ ପାଇବେ, ସେମାନଙ୍କର ଦୂରଦୂରାନ୍ତରେ ରହୁଥିବା ସାଙ୍ଗମାନଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ପାଇବେ। ଏହି ସବୁ କାର୍ଯ୍ୟ ପଛରେ ସବୁଠାରୁ ବଡ଼ ଭାଷାଭିତ୍ତିକ ଅବଦାନ କ’ଣ ହୋଇପାରେ? ଓଡ଼ିଆ ନୂଆ ଶବ୍ଦଗୁଡ଼ିକ ଦ୍ୱାରା ସମୃଦ୍ଧ ହେଉଛି ଯେପରି କି ମୋବାଇଲ,ମେସେଜ, କଲିଂ ଇତ୍ୟାଦି। ଯଦି ଆମେ ଏହି ଶବ୍ଦଗୁଡ଼ିକୁ ଦେଖିବା, ତେବେ ଏହା ହେଉଛି ଇଂରାଜୀ ଶବ୍ଦର ଟ୍ରାନ୍ସଲିଟିରେଟେଡ୍ ରୂପ, କିନ୍ତୁ ଏହି ଶବ୍ଦଗୁଡ଼ିକ ଓଡ଼ିଆରେ ଏମିତି ମିଶିଯାଇଛି ଓ ଆଦୃତ ହୋଇଛି ଯେ ଲୋକମାନେ ଏହି ଶବ୍ଦଗୁଡ଼ିକୁ ଓଡ଼ିଆ ଶବ୍ଦ ଭାବରେ ବ୍ୟବହାର କରନ୍ତି। ଆଶ୍ଚର୍ଯ୍ୟର କଥା, ଏହି ଶବ୍ଦଗୁଡ଼ିକ ମଧ୍ୟରୁ କେତେକ ଓଡ଼ିଆ ଅଭିଧାନ ଏବଂ ପାଠ୍ୟ ପୁସ୍ତକରେ ତଥା ଲିଖିତ ଗଣମାଧ୍ୟମରେ ମଧ୍ୟ ସ୍ଥାନ ପାଇସାରିଛି।

ଅଡିଓ-ଭିଜୁଆଲ୍ ମିଡିଆ ଏକବିଂଶ ଶତାବ୍ଦୀରେ ଓଡ଼ିଆ ଶବ୍ଦକୋଶକୁ ଏପରି ଭାବରେ ପ୍ରଭାବିତ କରିଛି ଯେ ବିଷୟବସ୍ତୁକୁ ଓଡ଼ିଆ ୟୁଜରଙ୍କଠାରେ ଏଭଳି ଢ଼ଙ୍ଗରେ ଉପସ୍ଥାପିତ କରାଯାଉଛି ଯେ ଭାଷାର ବ୍ୟବହାରକୁ ଅସୀମିତ କରି ଓଡ଼ିଆ ଭାଷୀ ଲୋକଙ୍କ ମାନସିକ ଶବ୍ଦକୋଷକୁ ମଧ୍ୟ ସୀମିତ କରି ଆଉ ରଖିନି। ଓଡ଼ିଆ ଭାଷାରେ ଏକ ବିଜ୍ଞାପନ କଲାବେଳେ ଟ୍ରାନ୍ସଲିଟିରେଟେଡ୍ ହୋଇଥିବା ଇଂରାଜୀ ଶବ୍ଦର ଭାଷା ବ୍ୟବହାର କ୍ଷେତ୍ରରେରେ ଏବେ ବହୁ ଅବଦାନ ରହୁଛି।

ଓଡ଼ିଆ ଟିଭି ଧାରାବାହିକ ଏବଂ ଓଡ଼ିଆ ଚଳଚ୍ଚିତ୍ର “ଅଧିକ-ଓଡ଼ିଆ ବିଷୟବସ୍ତୁ” ବ୍ୟବହାର କରିଆସୁଛନ୍ତି କାରଣ ଏହା ସମସ୍ତ ବୟସର ଦର୍ଶକ ଏବଂ ସମସ୍ତ ଶ୍ରେଣୀର ଲୋକ ଏବଂ ସହରାଞ୍ଚଳ ତଥା ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ତିଆରି ହୋଇଥାଏ। ଏକବିଂଶ ଶତାବ୍ଦୀରେ ଏହା କେବଳ ଇଂରାଜୀ ନୁହେଁ ଯାହା ଓଡ଼ିଆ ଶବ୍ଦକୋଷକୁ ସମୃଦ୍ଧ କରିଛି ବରଂ ହିନ୍ଦୀ ଭାଷାର ମଧ୍ୟ ଓଡ଼ିଆ ଭାଷାର ପରିବର୍ତ୍ତନରେ ବହୁ ଅବଦାନ ରହିଛି।

ଶାରୀରିକ ଭାବେ ଅକ୍ଷମ ଥିବା ଲୋକଙ୍କୁ ସୂଚିତ କରିବା ପାଇଁ ଯେଉଁ ଶବ୍ଦଗୁଡ଼ିକ ବ୍ୟବହାର ହେଉଥିଲା ସେଥିରେ ମଧ୍ୟ ଆମେ ପରିବର୍ତ୍ତନ ଦେଖିପାରିବା। ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଏକବିଂଶ ଶତାବ୍ଦୀରେ ଓଡ଼ିଆରେ ‘ଦିବ୍ୟାଙ୍ଗ’ ଶବ୍ଦ ବ୍ୟବହାର କରାଯାଉଛି।

ଏକବିଂଶ ଶତାବ୍ଦୀରେ, ଯଦି ଆମେ ଓଡ଼ିଆ ଭାଷାର ବିକାଶକୁ ବିଶ୍ଳେଷଣ କରିବା, ତେବେ ଦୁଇଟି ଭାଷାଭିତ୍ତିକ ବୈଶିଷ୍ଟ୍ୟ ଦେଖିପାରିବା। ଗୋଟିଏ ହେଉଛି ସଂସ୍କୃତ ଶବ୍ଦର ବ୍ୟବହାର ଏବଂ ଅନ୍ୟଟି ହେଉଛି ଟ୍ରାନ୍ସଲିଟିରେଟେଡ୍ କିମ୍ବା ନାଟିଭାଇଜଡ୍ ରୂପରେ ହିନ୍ଦୀ ଏବଂ ବିଦେଶୀ ଶବ୍ଦର ବ୍ୟବହାର। ପୂର୍ବରୁ ମଧ୍ୟ କୁହାଯାଇଛି, ଓଡ଼ିଆର ଅଧିକାଂଶ ଶବ୍ଦ ସଂସ୍କୃତରୁ ଆସିଛି, ଏହାର ପ୍ରଭାବ ଉଲ୍ଲେଖନୀୟ ଅଟେ। ହିନ୍ଦୀ ଶବ୍ଦଗୁଡ଼ିକ ମଧ୍ୟ ଓଡ଼ିଆରେ ଭଲ ଭାବରେ ଗ୍ରହଣ କରାଯାଉଛି, ଯଦିଓ ଷ୍ଟାଣ୍ଡାର୍ଡ ମିଡିୟମରେ ହିନ୍ଦୀ ଶବ୍ଦଗିଡ଼ିକୁ ଗ୍ରହଣ କରିବା ପାଇଁ କିଛି ସମୟ ଲାଗିବ। ବିଦେଶୀ ଭାଷାଗୁଡ଼ିକ ମଧ୍ୟରେ ଇଂରାଜୀ ଭାଷା ଓଡ଼ିଆକୁ ବହୁ ଭାଷାଭିତ୍ତିକ ବିଷୟବସ୍ତୁ ଯୋଗାଇ ଆସୁଛି। ଏକବିଂଶ ଶତାବ୍ଦୀରେ କେବଳ ଓଡ଼ିଆ ଶବ୍ଦକୋଷ ନୁହେଁ, ବରଂ ଅନ୍ୟ ଭାଷା ଦ୍ୱାରା, ବିଶେଷକରି ଇଂରାଜୀ ଦ୍ୱାରା ଓଡ଼ିଆ ବାକ୍ୟ ସଂରଚନା ମଧ୍ୟ ପ୍ରଭାବିତ ହୋଇଛି। ଓଡ଼ିଆ ଭାଷାର ନିଜସ୍ୱ ବିରାମଚିହ୍ନ ନାହିଁ, ଏହା ଇଂରାଜୀ ବିରାମଚିହ୍ନର ଶୈଳୀକୁ ଅନୁସରଣ କରେ।

ଏକବିଂଶ ଶତାବ୍ଦୀରେ, ଓଡ଼ିଆ ଅକ୍ଷର ଏବଂ ଶବ୍ଦର ବ୍ୟବହାରକୁ ସଂଶୋଧନ କରିବାକୁ କିମ୍ବା ଓଡ଼ିଆ ଅର୍ଥୋଗ୍ରାଫିକୁ ସରଳ କରିବାକୁ ଚେଷ୍ଟା କରାଯାଇଛି। ଉଦାହରଣ ସ୍ୱରୂପ- ‘ର୍ଣ୍ଣ’ ପରିବର୍ତ୍ତେ ‘ର୍ଣ’ର ବ୍ୟବହାର, ‘ମାଙ୍କଡ଼’ ପରିବର୍ତ୍ତେ ‘ମାଂକଡ଼’ର ବ୍ୟବହାର ଇତ୍ୟାଦି।

ବୈଷୟିକ ଦୃଷ୍ଟିରୁ, ଏକବିଂଶ ଶତାବ୍ଦୀରେ ଓଡ଼ିଆ ଭାଷା ପାଇଁ ଅନେକ ଭାଷା ଟାଇପିଂ ଟୁଲ୍ ଏବଂ ସଫ୍ଟୱେର୍ ରହିଛି। ସେଥିମଧ୍ୟରୁ କେତେକ ହେଉଛି Shree-lipi, Akruti, Aprantodia ଇତ୍ୟାଦି। ଓଡ଼ିଆ ଫଣ୍ଟଗୁଡ଼ିକର ବିକାଶ ହୋଇଛି:Odia fonts, Indica fonts, Akruti fonts,Shreelipi fonts,Aprant fonts ଇତ୍ୟାଦି। ଟେକ୍ନୋଲୋଜିର ଅଗ୍ରଗତି ସହିତ Google, Microsoft ଏବଂ ଅନ୍ୟମାନଙ୍କଠାରୁ ଓଡ଼ିଆ ଭାଷାର ଟେକ୍ସଟ୍-ଇନପୁଟ୍ ଟୁଲ୍ ମଧ୍ୟ ଆସିଛି। Shreelipi ଏବଂ Akrutiରେ ମଧ୍ୟ ଓଡ଼ିଆ ଟେକ୍ସଟ୍-ଇନପୁଟ୍ ଟୁଲ୍ ଅଛି। ଓଡ଼ିଆ ପାଇଁ ଅନଲାଇନ୍ ଟେକ୍ସଟ୍-ଇନପୁଟ୍ ଟୁଲଗୁଡ଼ିକ ମଧ୍ୟ ଉପଲବ୍ଧ: Google Input Tools Online, Bhashaindia,Odia Web Keypad, Web Dhwani-Odia ଇତ୍ୟାଦି।

Google, Samsung, Xiaomi, Facebook ଏବଂ ଅନ୍ୟ ଆନ୍ତର୍ଜାତୀୟ କମ୍ପାନୀଗୁଡ଼ିକ ସେମାନଙ୍କର ବିଷୟବସ୍ତୁକୁ ଓଡ଼ିଆରେ ଅନୁବାଦ କରି ଓଡ଼ିଆ ଭାଷୀ ଲୋକଙ୍କ ଘରେ ଘରେ ପହଞ୍ଚିବାର ପ୍ରଚେଷ୍ଟା କରିପାରିଛନ୍ତି। ପ୍ରଥମ ଦୁଇ ଦଶନ୍ଧି, ସମସ୍ତ କ୍ଷେତ୍ରରେ ଓଡ଼ିଆ ଭାଷାର ଦ୍ରୁତ ବିକାଶର ସାକ୍ଷୀ, ଏବଂ ଆମେ ଆଶା କରୁଛୁ ଯେ ଆଗାମୀ ତିନି ଦଶନ୍ଧି ଏହି ଭାଷାର ବିକାଶକୁ ଆହୁରି ଦୃଢ଼ ଏବଂ ସ୍ଥିର କରିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *